ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଦଶମ (DASAM: an initiative towards academic excellence) କାର୍ଯ୍ୟକ୍ରମ ଅଧୀନରେ ବାର୍ଷିକ ହାଇସ୍କୁଲ ପରୀକ୍ଷା ୨୦୨୫ରେ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆଜି ଠାରୁ ବ୍ଲକ ସ୍ତରରେ କର୍ମଶାଳା ଆରମ୍ଭ ହୋଇଛି। ପୁରୀ ଜିଲ୍ଲା ରେ ଏ -୧ ପାଇବାକୁ ଉଚ୍ଚାଭିଳାଷ ରଖିଥିବା ୧୨୫୫ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ବାର୍ଷିକ ହାଇସ୍କୁଲ ପରୀକ୍ଷା ୨୦୨୫ରେ ସଫଳ ହେବା ପାଇଁ ଜିଲ୍ଲା ସ୍ତରରୁ ମନୋନୀତ ହୋଇଥିବା ପ୍ରତି ବିଷୟରେ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା କର୍ମଶାଳା ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ଜାନୁଆରୀ ୮ ଓ ୧୦ ରେ ପୁରୀ ସଦର, ବ୍ରହ୍ମଗିରି, ପିପିଲି ଓ ସତ୍ୟବାଦୀ ବ୍ଲକରେ, ୧୫ ଓ ୧୬ ରେ ଡେଲାଙ୍ଗ, କଣାସ, ଗୋପ ଓ କୃଷ୍ଣ ପ୍ରସାଦ ବ୍ଲକରେ ଏବଂ ୧୭ ଓ ୧୮ ରେ ନିମାପଡା, ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ଏଥି ସହିତ ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ପ୍ରଥମ ତଦନୁରୂପ ପରୀକ୍ଷା (VST-1) ଏବଂ ୨୯, ୩୦ ଓ ୩୧ ରେ ଦ୍ଵିତୀୟ ତଦନୁରୂପ ପରୀକ୍ଷା (VST-2) କରାଯିବ। ଆଜି ପିପିଲି ବ୍ଲକର ୧୪୩, ସତ୍ୟବାଦୀର ୯୭, ପୁରୀର ୨୧୩ ଏବଂ ବ୍ରହ୍ମଗିରିର ୧୪୮ ଜଣ ଏ -୧ ପାଇବାକୁ ଉଚ୍ଚାଭିଳାଷ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ସହିତ ସେମାନଙ୍କର ପାଠ ପଢ଼ାରେ ଥିବା ଦ୍ୱନ୍ଦ୍ୱ, ପ୍ରଶ୍ନର ଉତ୍ତର କିପରି ଦିଆଯିବ, ବିଷୟ ଭିତ୍ତିକ ମୁଖ୍ୟ ମୁଖ୍ୟ ପ୍ରଶ୍ନ, ପରୀକ୍ଷା ସମୟରେ ଚାପମୁକ୍ତ ରହି ସମୟର ସଦୁପଯୋଗ ସହ ସାଧାରଣ ତ୍ରୁଟିକୁ କିପରି ସୁଧାର କରାଯାଇପାରିବ ଅତି ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନ ରେ ପରିଚାଳନା କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ ତଥା ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସନ୍ତୋଷ କୁମାର ଚୌଧୁରୀ ବିଭିନ୍ନ ବ୍ଲକ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହିତ ଜିଲ୍ଲା ଶିକ୍ଷାଧିକାରୀଙ୍କର ଏ ମହନୀୟ କାର୍ଯ୍ୟକୁ ଶତ ପ୍ରତିଶତ ସଫଳ କରାଇବାରେ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀ, ଅଭିଭାବକ/ଅଭିଭାବିକାଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Leave a Reply